ଆଠଗଡ -: ଆଠଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ଆଜି ରଣକ୍ଷେତ୍ର ପାଲଟିଛି। ବିଜେପି, ବିଜେଡି କର୍ମୀ ପରସ୍ପରକୁ ଢେଲାପଥର ମାଡ଼ କରିଛନ୍ତି। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜି, ଠେଲାପେଲାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟପକ୍ଷଙ୍କୁ ଶାନ୍ତ କରିବାକୁ ଯାଇ ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଢେଲା ମାଡ଼ରେ ଆଠଗଡ଼ ଏସ୍ଡିପିଓଙ୍କ ସମେତ ୮ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି। ବ୍ଲକ କାର୍ଯ୍ୟାଳୟର ୫୦୦ ମିଟର ପରିଧି ମଧ୍ୟରେ ବିଏନ୍ଏସ୍ଏସ୍ ୧୬୩ ଧାରା ଜାରି କରାଯାଇଥିଲା।
ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ପୁଲିସ ଲାଠି ଚାଳନା କରିଛି। ଏହି ଘଟଣାରେ ଆହତ ଆଠଗଡ଼ ଏସ୍ଡିପିଓ, ତିଗିରିଆ ଥାନାର ସବ୍ ଇନ୍ସ୍ପେକ୍ଟରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜଣେ ପୁଲିସ କର୍ମଚାରୀଙ୍କର ଗୋଡ଼ ଭାଙ୍ଗିଯାଇଛି। ବିଜେପିର ମଧ୍ୟ ୧୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ବାହାରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଗୋଡ଼େଇ ଗୋଡେଇ ପିଟୁଥିବା ବେଳେ ପୁଲିସକୁ ଆନ୍ଦୋଳନକାରୀମାନେ ଢେଲାପଥର ମାଡ଼ କରୁଥିଲେ। କିନ୍ତୁ ସେହି ସମୟରେ ଭିତରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ। ପୁଲିସ ଏହି ଘଟଣାରେ ୬୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି କଟକ ଏସ୍ପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି।
ଆଠଗଡ଼ ଏସ୍ଡିପିଓଙ୍କ ସମେତ ୮ପୁଲିସ ଆହତ
ପୁଲିସ ପକ୍ଷରୁ ଲାଠିଚାର୍ଜ, ୬୦ଜଣଙ୍କୁ ଅଟକ ରଖି ଜେରା
ସୂଚନା ଅନୁଯାୟୀ ପଞ୍ଚାୟତ ସମିତି ବୈଠକ ଆରମ୍ଭର ପ୍ରାୟ ଏକ ଘଣ୍ଟା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଉଭୟ ବିଜେପି ଓ ବିଜେଡିର ସମର୍ଥକମାନେ ପହଞ୍ଚି ଯାଇଥିଲେ। ବୈଠକକୁ ଆସିଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇ ନାରାବାଜି କରାଯାଇଥିଲା। ଏହାକୁ ନେଇ ବିଜେଡି କର୍ମୀ ପ୍ରତିବାଦ କରିଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସେହି ସମୟରେ କିଛି କର୍ମୀ ଅଣ୍ଡା, ପାଣିପାଉଚ ଓ ପଥର ମାଡ଼ କରିଥିଲେ। ପଥର ମାଡ଼ରେ ଆଠଗଡ଼ ଏସ୍ଡିପିଓ ବିଶ୍ବଜିତ ମହାନ୍ତିଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲା। ତିଗିରିଆ ଥାନାର ସବ୍ ଇନ୍ସ୍ପେକ୍ଟର ବିଶ୍ବଜିତ ଜେନା ଓ ଅନ୍ୟ ୫ ପୁଲିସ କର୍ମଚାରୀ ବି ଆହତ ହୋଇଥିଲେ। ଏହି ଘଟଣା ପରେ ବିଜେଡି ଓ ବିଜେପି ପୃଥକ୍ ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ଦାୟୀ କରିଛନ୍ତି। ଆହତ ପୁଲିସ ଅଧିକାରୀମାନଙ୍କୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ହସ୍ପିଟାଲରେ ଭେଟିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.