କଂଗ୍ରେସରେ କ୍ରସ ଭୋଟିଂ ଇମ୍ପାକ୍ଟ । ୩ ବିଧାୟକଙ୍କୁ ନିଲମ୍ବନ ପରେ ମୁହାଁମୁହିଁ ହେଲେ ରମେଶ ଜେନା-ସାଗର ଦାସ । କ୍ରସ୍ ଭୋଟିଂ କରିଥିବା ବିଧାୟକ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଦଳ କରିଛି ଆବେଦନ । ଗଜପତି, ଗଞ୍ଜାମ ଓ କଟକରେ ଏବେ କଂଗ୍ରେସର ନେତୃତ୍ୱ ସଙ୍କଟ । ପିସିସି ସଭାପତି ଓ ତାଙ୍କ ବିଧାୟକଙ୍କୁ ନିଶାନା କରିଥିବା ରମେଶ ଜେନାଙ୍କୁ ଆଜି ପାଲଟା ଆକ୍ରମଣ କରିଛନ୍ତି ଉଭୟ ବାପ ଓ ପୁଅ । ରମେଶ କହିଥିଲେ ବେପାରୀଙ୍କ ଇସାରାରେ ଚାଲୁଛନ୍ତି ଭକ୍ତ । ବିଜେଡି ସହ ମେଣ୍ଟ କଂଗ୍ରେସ କର୍ମୀଙ୍କୁ ହତାଶ କରିଥିବା ଅଭିଯୋଗ ବି ଆଣିଥିଲେ । ଏମିତିକୁ ସାଗର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ନେଇ ରମେଶ ଅଭିଯୋଗ ଆଣିଥିବା ବେଳେ ଆଜି ରମେଶଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ସାଗର ।
ଅନ୍ୟପଟେ ସୋଫିଆ, ରମେଶ ଓ ଦାଶରଥି ଥିଲେ ନିଜ ନିଜ ଜିଲ୍ଲାର ଜଣେ ମାତ୍ର ବିଧାୟକ । ତେଣୁ ତାଙ୍କ ପରେ ଦଳର ସଂଗଠନ କାହାକୁ ନେଇ ଆଗକୁ ବଢିବ ସେନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ଗତକାଲି କଟକର କଂଗ୍ରେସ ନେତାଙ୍କ ସହ ବୈଠକ ବସିଥିବା ବେଳେ ଆଜି ଗଞ୍ଜାମର କଂଗ୍ରେସ ନେତାଙ୍କୁ ନେଇ ବୈଠକ କରିଛନ୍ତି ଦଳ ମୁଖିଆ । ଦାଶରଥୀ ଓ ସୋଫିଆଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ବାଚସ୍ପତିଙ୍କୁ ଭେଟିଥିବା ବେଳେ ଖୁବଶୀଘ୍ର ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଜଣାଇବ । ତେବେ ଏ ତିନି ଜଣଙ୍କ ସଭ୍ୟ ପଦ ରଦ୍ଦ ଦଳର ବିଧାୟକଙ୍କ ସଂଖ୍ୟା ୧୪ରୁ କମି ୧୧ରେ ପହଁଞ୍ଚିବ । ମୋକିମଙ୍କ ନୂଆ ଦଳକୁ ଅଧିକ କଂଗ୍ରେସ କର୍ମୀ ଲମ୍ଫ ମାରୁଥିବା ବେଳେ ଦଳ ସଂଗଠନ କିପରି ବଞ୍ଚାଉଛି ତାହା ଉପରେ ନଜର ।
