ଏଣିକି ଥାନାକୁ ଯିବା ଦରକାର ନାହିଁ , WhatsAppରେ ମିଳିବ ପୋଲିସ ସେବା …

Creat A Revolution
           

ଭୁବନେଶ୍ବର -: ଏଣିକି ଥାନାକୁ ଯିବା ଦରକାର ନାହିଁ, WhatsAppରେ ମିଳିବ ୧୪ ପୋଲିସ ସେବା।ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡ଼ିଶା ପୋଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ ବୋଲି ପୋଲିସ୍ ଡିଜି ବିନୟତୋଷ ମିଶ୍ର କହିଛନ୍ତି। ଭୁବନେଶ୍ୱରର ଡିଜିପି କ୍ୟାମ୍ପ ଅଫିସରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ପୋଲିସ୍ ଡିଜି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି । ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି । ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି । ସୁଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ୍ ସୁଶାସନ ପଦକ୍ଷେପର ପରିସରରେ ଏହି ସେବାକୁ ସାମିଲ କରାଯାଇଛି । ଏହା ମାଧ୍ୟମରେ ପୋଲିସ ସେବାକୁ ନାଗରିକଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ।

‘ଆମ ସାଥୀ’ ହେଉଛି ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା । ହ୍ୱାଟ୍ସଆପ୍ ମାଧ୍ୟମରେ ଏଥିରେ ବିଭିନ୍ନ ସରକାରୀ ସେବା ସହଜରେ ଉପଲବ୍ଧ ହେଉଛି । ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି । ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ । ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ । ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍ରେ ପାଇପାରିବେ ।

ପ୍ରକ୍ରିୟା ସମାପ୍ତ ପରେ, ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ । ‘ଆମ ସାଥୀ’ରେ ୧୪ଟି ପୋଲିସ ସେବା ଯୋଡ଼ାଯିବା ଓଡ଼ିଶାରେ ଡିଜିଟାଲ୍ ଓ ନାଗରିକ-କେନ୍ଦ୍ରିକ ପୋଲିସିଂକୁ ଆହୁରି ସୁଦୃଢ଼ କରିବ । ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ପୋଲିସ ସେବାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଆଇଜି ଏସଟିଏଫ ହିମାଂଶୁ ଲାଲ, ଆଇଜି (ଇଣ୍ଟେଲିଜେନ୍ସ) ସତ୍ୟବ୍ରତ ଭୋଇ, ଆଇଜି (କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ, CMGIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସପି (କମ୍ପ୍ୟୁଟର) ଅମୂଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading