୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ ….

Creat A Revolution
           

ଭୁବନେଶ୍ବର -: ସେପ୍ଟେମ୍ବର ୧୯ରେ ଆୟୋଜିତ ହେବାକୁ ଥିବା ୨୦ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବକଯୁବତୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ସେ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ସମ୍ବୋଧିତ କରିବେ। ଦେଶବ୍ୟାପୀ ଏହି ରୋଜଗାର ମେଳା ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ। ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ରାଜସ୍ୱ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ। ଦେଶବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ ଓଡ଼ିଶାରେ ଦୁଇଟି ରୋଜଗାର ମେଳା କଟକ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଉଭୟ ସ୍ଥାନରେ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଆନୁଷ୍ଠାନିକ ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ଏବଂ କିଛି ନୂତନ ନିଯୁକ୍ତିପ୍ରାପ୍ତ ପ୍ରାର୍ଥୀ ସରକାରୀ ଚାକିରିରେ ଯୋଗଦେବାର ନିଜର ଅଭିଜ୍ଞତା ସମ୍ପର୍କରେ କହିବେ।

କଟକରେ, ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରେଭେନ୍ସା କନଭେନ୍ସନ୍ ସେଣ୍ଟରରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ସ୍ଥିତ ରେଳ କୁଟୀର, ଜି-୧୮/୪, ରେଳ ଅଡିଟୋରିୟମଠାରେ ଅନୁଷ୍ଠିତ ହେବ। ଏଥିରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କମଳେଶ ପାଶୱାନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱର କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ସରକାରୀ ବିଭାଗରୁ ପ୍ରାୟ ୧୬୧ ଜଣ ନବନିଯୁକ୍ତ ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଅଂଶଗ୍ରହଣ କରୁଥିବା ବିଭାଗଗୁଡ଼ିକ ମଧ୍ୟରେ ରେଳବାଇ (୩୭), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ/ଏମ୍ସ (୪୧), ଡାକ ବିଭାଗ (୩୦), ଭୁବନେଶ୍ୱର ସିଜିଏସ୍ଟି (୨୨), ଆୟକର/ସିବିଡିଟି (୧୦), ଇଏସ୍ଆଇସି ଓଡ଼ିଶା (୮), ଜଳ ଶକ୍ତି ମନ୍ତ୍ରଣାଳୟ/କେନ୍ଦ୍ରୀୟ ଭୂଜଳ ବୋର୍ଡ (୪), ଆର୍ଥିକ ସେବା ବିଭାଗ/ଏସ୍ଏଲ୍ବିସି (୩), ସିଆଇଏସ୍ଏଫ୍ (୨), ଶିକ୍ଷା ମନ୍ତ୍ରଣାଳୟ (୨), ପ୍ରତିରକ୍ଷା ଲେଖା ବିଭାଗ/ସିଜିଡିଏ (୧), ଏବଂ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (୧) ଅନ୍ତର୍ଭୁକ୍ତ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଭୁବନେଶ୍ୱର କାର୍ଯ୍ୟକ୍ରମରେ ରୋଜଗାର ମେଳାର ଉଦ୍ଦେଶ୍ୟ ଏବଂ ମୁଖ୍ୟ ଦିଗଗୁଡ଼ିକ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯାହାପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ରହିବ। ଏହାପରେ ମୁଖ୍ୟ ଅତିଥି ନୂତନ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ଏବଂ ଶେଷରେ କିଛି ନୂତନ ନିଯୁକ୍ତିପ୍ରାପ୍ତ ବ୍ୟକ୍ତି ସେମାନଙ୍କର ନୂତନ ଦାୟିତ୍ୱ ସମ୍ପର୍କରେ ନିଜର ଅଭିଜ୍ଞତା ଓ ଚିନ୍ତାଧାରା ବାଣ୍ଟିବେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading