ହାଇଦ୍ରାବାଦ -: ବୟସ ପ୍ରାୟ ସମସ୍ତଙ୍କ ପାଇଁ କେବଳ ଏକ ଅଙ୍କ ହୋଇପାରେ । ଆଉ ବାର୍ଦ୍ଧକ୍ୟ କହିଲେ ଆମେ ୬୦ ବର୍ଷକୁ ଆଜିର ଦିନ ବୁଝିଥାଉ । ସରକାରୀ ହେଉ କି ବେସରକାରୀ ଚାକିରିରୁ ଅବସର ନେଇ ପ୍ରାୟ ଘରେ ସମୟ କଟ କଟାଇଥାନ୍ତି । କିନ୍ତୁ ଡାକ୍ତର ସୂରି ଶ୍ରୀମତିଙ୍କ ଦିନଚର୍ଯ୍ୟା ଏବେ ବି ଭିନ୍ନ । ୯୨ ବର୍ଷ ବୟସରେ ମଧ୍ୟ ସେ ରୋଗୀ ଦେଖୁଛନ୍ତି ଏବଂ ଗାଇନେକୋଲୋଜି ସମ୍ବନ୍ଧୀୟ ସର୍ଜରୀ କରୁଛନ୍ତି । ନିଜେ କାର୍ ଚାଳନା କରି ହସ୍ପିଟାଲ୍ ବି ଯାଉଛନ୍ତି । ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ତାଙ୍କ ପାଖକୁ ଆଜି ବି ଗର୍ଭବତୀ ମହିଳାମାନେ ଚିକିତ୍ସା ପାଇଁ ଆସୁଛନ୍ତି । ସୂରି ଶ୍ରୀମତି ୬୦ ବର୍ଷ ଧରି ଡାକ୍ତର ଭାବେ ଲୋକଙ୍କ ଚିକିତ୍ସା କରି ଆସୁଛନ୍ତି । ଏହି ଅବଧିରେ ସେ ପ୍ରାୟ ୨ ଲକ୍ଷ ଶିଶୁଙ୍କ ଡେଲିଭରି କରାଇଛନ୍ତି ।

୧୯୫୮ରେ ମେଡିସିନ୍ରେ ସ୍ନାତକ
ଡାକ୍ତର ସୂରି ଶ୍ରୀମତି ୧୯୫୮ରେ ମେଡିସିନ୍ ପଢ଼ା ଶେଷ କରିଥିଲେ । ପରେ ୧୯୬୫ରେ ଅବ୍ଷ୍ଟେଟ୍ରିକ୍ସ ଏବଂ ଗାଇନେକୋଲୋଜିରେ MD କରିଥିଲେ । ସୂରି ଶ୍ରୀମତିଙ୍କ ସମୟରେ ଝିଅମାନଙ୍କ ପାଇଁ ମେଡିସିନ୍ ପଢ଼ିବା ସହଜ ନଥିଲା । ତାଙ୍କ ପରିବାରକୁ ମଧ୍ୟ ଏଥିପାଇଁ ସାମାଜିକ ଚାପର ସାମ୍ନା କରିବାକୁ ପଡ଼ିଥିଲା ବୋଲି ସେ ବିଭିନ୍ନ ସାକ୍ଷାତକାରରେ କହିଛନ୍ତି ।
୧୯୫୯ରେ ଏକାକୀ କଲେ ଡେଲିଭରି
ରିପୋର୍ଟ ଅନୁସାରେ, ୧୯୫୯ରେ ତେଲଙ୍ଗାନାର ସଙ୍ଗାରେଡ୍ଡିର ଏକ ସରକାରୀ ହସ୍ପିଟାଲରେ ସେ ପ୍ରଥମ ଥର ପାଇଁ ନିଜେ ଏକୁଟିଆ ଡେଲିଭରି କରାଇଥିଲେ । ସେତେବେଳେ ତାଙ୍କୁ ଜଣେ ୧୫ ବର୍ଷୀୟା ଝିଅଙ୍କ ସିଜେରିଆନ୍ କରାଇବାକୁ ପଡ଼ିଥିଲା । ସେହି ସମୟରେ ଆଜି ଭଳି ଅଲଗା ଅଲଗା ବିଶେଷଜ୍ଞଙ୍କ ଟିମ୍ ଉପଲବ୍ଧ ନଥିଲା । ତେଣୁ ତାଙ୍କୁ ଏକାଧିକ ଦାୟିତ୍ୱ ନିଜେ ସମ୍ଭାଳିବାକୁ ପଡ଼ିଥିଲା । ଏକ ସମୟରେ ଆନେସ୍ଥିସିଓଲୋଜିଷ୍ଟ, ଗାୟନେକୋଲଜିଷ୍ଟ ଏବଂ ଶିଶୁ ବିଶେଷଜ୍ଞ ଭୂମିକା ତୁଲାଇଥିଲେ ।
ତିନି ପିଢ଼ିର ମହିଳାଙ୍କ ଚିକିତ୍ସା
ଡାକ୍ତର ସୂରି ଶ୍ରୀମତିଙ୍କ ପାଖକୁ ଏବେ ଏଭଳି ରୋଗୀ ମଧ୍ୟ ଆସୁଛନ୍ତି, ଯାହାଙ୍କ ମା’ କିମ୍ବା ଜେଜେମା’ଙ୍କ ଚିକିତ୍ସା ସେ ଦିନେ କରିଥିଲେ । ଅର୍ଥାତ୍ ଗୋଟିଏ ପରିବାରର ତିନି ପିଢ଼ିର ମହିଳାଙ୍କ ଚିକିତ୍ସା କରିବାର ଅନୁଭବ ତାଙ୍କର ରହିଛି । ଏବେ ବି ନିଜକୁ ଅପଡେଟ୍ ରଖୁଛନ୍ତି l ଡାକ୍ତର ଶ୍ରୀମତିଙ୍କ ଦିନ ଖୁବ୍ ସକାଳୁ ଆରମ୍ଭ ହୁଏ । ରିପୋର୍ଟ ଅନୁସାରେ, ସେ ପ୍ରାୟ ସକାଳ ୫ଟା ୩୦ରେ ଯୋଗ କରନ୍ତି । ଏହି ଅଭ୍ୟାସ ତାଙ୍କ ବାପା କରାଇଥିଲେ । ଏହା ପରେ ସକାଳ ସାଢ଼େ ୮ଟାରେ ଦିନ ଯାକର ସର୍ଜରୀ ଯୋଜନା ସହ ରୋଗୀଙ୍କ ସ୍ଥିତି ନେଇ ଅବଗତ ହୋଇଥାନ୍ତି । ସେ ନିଜେ ଗାଡ଼ି ଚଳାଇ ଯାତାୟାତ କରୁଛନ୍ତି । ଚିକିତ୍ସା କ୍ଷେତ୍ରର ନୂଆ ତଥ୍ୟ ଜାଣିବା ପାଇଁ ସେ ମେଡିକାଲ୍ ଜର୍ଣ୍ଣାଲ୍ ପଢ଼ନ୍ତି, ବୈଠକ ଓ ସମ୍ମିଳନୀରେ ଯୋଗ ଦିଅନ୍ତି ।
ଅବସର ଯୋଜନା ନାହିଁ
୯୨ ବର୍ଷ ବୟସରେ ମଧ୍ୟ ଡାକ୍ତର ଶ୍ରୀମତି ନିଜ କାମ ଜାରି ରଖିଛନ୍ତି । ୧୯୯୯ରେ ସେ ନିଜ ହୋମ୍ କ୍ଲିନିକ୍ ଆରମ୍ଭ କରିଥିଲେ । ଏବେ ମଧ୍ୟ ସେଠାରେ ରୋଗୀଙ୍କୁ ଦେଖୁଛନ୍ତି । ରୋଗୀମାନେ ଚିକିତ୍ସା ପାଇଁ ତାଙ୍କ ନିକଟକୁ ଆସୁଥିବାରୁ ସେ ସେବା ଜାରି ରଖିବାକୁ ଚାହୁଁଥିବା କହିଛନ୍ତି । ଛଅ ଦଶନ୍ଧିରୁ ଅଧିକ ସମୟର ଚିକିତ୍ସା ଜୀବନ ପରେ ମଧ୍ୟ ତାଙ୍କର ରୋଗୀ ସେବା ଜାରି ରହିଛି ।
Discover more from odia.bnslive.in
Subscribe to get the latest posts sent to your email.
