କଟକ -:
ମାତ୍ର ୬ ବର୍ଷ ତଳେ ନିର୍ମିତ କୋଠାରୁ କେମିତି ପାଣି ଗଳୁଛି, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ତଥ୍ୟ ଅନୁଯାୟୀ ୨୦୧୫-୧୬ରେ ଏଲ୍ଆଣ୍ଡ୍ଟି କଟକ ବଡମେଡିକାଲ ଭିତରେ ୫ଟି କୋଠା ନିର୍ମାଣ କରିଥିଲା। ଏସସିବି ହୃଦରୋଗ ବିଭାଗ ନିକଟସ୍ଥ ହଷ୍ଟେଲ, ଅଡିଟୋରିୟମ, ପ୍ରଶାସନିକ କୋଠା, ବିଏସି ନର୍ସିଂ କୋଠା ନିର୍ମାଣ କରାଯାଇଥିଲା। ତେବେ ଏ କୋଠାକୁ ଏଲ୍ଆଣ୍ଡଟି କରିଥିଲେ ବି ଏହାର ତଦାରଖ ପୂର୍ତ୍ତ ବିଭାଗ କରୁଥିଲା। ଏହି କୋଠାର ଲାଇବ୍ରେରିରୁ ପାଣି ଗଳୁଥିବା ନେଇ ଏସସିବି କର୍ତୃପକ୍ଷ ଫଟୋ ସହିତ ପୂର୍ତ୍ତ ବିଭାଗକୁ ଚିଠି କରିଛନ୍ତି। ଅକ୍ଟୋବର ୭ ତାରିଖରେ ସେଣ୍ଟ୍ରାଲ ଲାଇବ୍ରେରି ତୃତୀୟ ମହଲାରେ ପାଣି ଲିକ୍ ଯୋଗୁଁ ଛାତରୁ ସିମେଣ୍ଟ ଖଣ୍ଡ ଖସିଥିବା କଥା ବି ଚିଠିରେ ଉଲ୍ଲେଖ କରାଯାଇଛି।

ଅଧିକ ବର୍ଷା ହେଲେ ଏହାର ଛାତରୁ ପାଣି ଗଳି ସିଲିଂ ଖରାପ ହେଉଥିବା ନେଇ ଲାଇବ୍ରେରୀ କମିଟି ଅଧ୍ୟକ୍ଷ ପୂର୍ତ୍ତ ବିଭାଗକୁ ଚିଠି କରିଥିଲେ। ତୁରନ୍ତ ଏହାର ମରାମତି କରିବାକୁ କହିଥିଲେ। ଏହି କାରଣରୁ ଇଲେକଟ୍ରିକ୍ ୱାରିଂ ନଷ୍ଟ ହୋଇଥିଲା। ଫଳରେ ଏହାର ଛାତ ଅସୁରକ୍ଷିତ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା। ତୁରନ୍ତ ଏହି ଛାତର ମରାମତି କରିବାକୁ କୁହାଯାଇଥିଲା। ସେହିଭଳି ୨୪/୧୧/୨୦୨୦ରେ ଏସସିବି ଅଧୀକ୍ଷକ ଫାର୍ମାକୋଲୋଜି ବିଭାଗ, ନ୍ୟୁ ଏକାଡେମିକ ବ୍ଲକ୍ର ବାରଣ୍ଡା ଓ ଲ୍ୟାବ୍, ଏକ୍ସପେରିମେଣ୍ଟାଲ ଲାବର ସିଲିଂ ମରାମତି କରିବାକୁ ପୂର୍ତ୍ତ ବିଭାଗକୁ ଚିଠି କରିଥିଲେ। ଏହାକୁ ତୁରନ୍ତ ମରାମତି କରିବାକୁ ଅନୁରୋଧ କରାଯାଇଥିଲା। କୋଠା ନିର୍ମାଣର ମାତ୍ର ୪/୫ ବର୍ଷ ଭିତରେ କୋଠାରୁ ପାଣି ଗଳିବା, ସିମେଣ୍ଟ ଖସିବା ଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ହୋଇଥିବା ବେଳେ ଏହାର ତଦାରଖ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଭୂମିକାକୁ ନେଇ ବି ପ୍ରଶ୍ନ ଉଠୁଛି। ପୁରୁଣା କାମର ତଦନ୍ତ ଏବଂ ଏବେ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଚାଲିଥିବା କୋଠା ନିର୍ମାଣର ମାନ ଯାଞ୍ଚ ପାଇଁ ଦାବି ହେଉଛି।
Discover more from odia.bnslive.in
Subscribe to get the latest posts sent to your email.
