ପୋଡ଼ପିଠା ବିବାଦର ଅନ୍ତ ଘଟୁନି, ତିନିଦିନ ପରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା

Creat A Revolution
           

ପୁରୀ -: ତିନିଦିନ ପରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳାଖେଳ ସାରି ରତ୍ନବେଦିକୁ ଫେରିବେ ମହାବାହୁ। ବାହୁଡ଼ା ଯାତ୍ରାରେ ଫେରିବା ବେଳେ ଅନୁରୋଧ ରକ୍ଷା କରି ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ବି ଖାଇବେ। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରଠାରେ ମହାପ୍ରଭୁଙ୍କ ରଥ ଅଟକିବ। କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହି ଆସିଛି। କିନ୍ତୁ ପୋଡ଼ପିଠା ପ୍ରସ୍ତୁତି ଓ ସମର୍ପଣ ବିବାଦ ଏହି ପରମ୍ପରାରେ ଅନ୍ତରାୟ ସୃଷ୍ଟି କରିଛି। ବର୍ଷ ବର୍ଷ ଧରି ଅଧିକାରକୁ ନେଇ କୋର୍ଟରେ ଦୁଇପକ୍ଷର ଲଢ଼େଇ ଚାଲିଥିବାରୁ ଏହି ପରମ୍ପରାକୁ ଶ୍ରୀମନ୍ଦିର ପ୍ରଶାସନ ବି ସ୍ବୀକୃତି ଦେଉନି। ଯାହା ଭକ୍ତଙ୍କ ଭକ୍ତିଭାବରେ ଗଭୀର ଆଘାତ ସୃଷ୍ଟି କରୁଛି। ବିଶ୍ୱାସ ରହିଛି, ସେତେବେଳର ମାଳିନୀ ନଦୀ ବଡ଼ଦାଣ୍ଡକୁ ଦୁଇଭାଗ କରୁଥିଲା।

ଯେଉଁଥି ପାଇଁ ମହାପ୍ରଭୁଙ୍କ ପାଇଁ ୬ଟି ରଥ ପ୍ରସ୍ତୁତ ହେଉଥିଲା। ତିନିଟି ରଥରେ ମହାପ୍ରଭୁ ମାଳିନୀ ନଦୀର ଗୋଟିଏ ପାର୍ଶ୍ୱରେ ପହଞ୍ଚିବା ପରେ ଅପରପାର୍ଶ୍ୱକୁ ଡଙ୍ଗାରେ ନଦୀ ପାର ହୋଇ ଯାଉଥିଲେ। ପରେ ଅପରପାର୍ଶ୍ୱରେ ଥିବା ତିନି ରଥରେ ବିଜେ ହୋଇ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ମହାପ୍ରଭୁଙ୍କୁ ୭/୮ ଦିନ ଲାଗି ଯାଉଥିଲା। ଏହାଦେଖି ମାଉସୀ ମା’ ମାଳିନୀ ନଦୀର ଜଳକୁ ଶୋଷି ନେଇଥିଲେ। ସେ ସମୟରୁ ଅନୁରୋଧ ରକ୍ଷା କରି ମହାପ୍ରଭୁ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ ଆସୁଛନ୍ତି। କିନ୍ତୁ ବଂଶାନୁକ୍ରମିକ ସେବାକୁ ନେଇ ମାଉସୀ ମା’ଙ୍କ ଏହି ପୋଡ଼ପିଠା ବିବାଦୀୟ ହୋଇପଡ଼ିଛି। ଅଦ୍ୟାବଧି ଶ୍ରୀମନ୍ଦିର ପ୍ରଶାସନ ପୋଡ଼ପିଠା ସମର୍ପଣ ନେଇ କାହାରିକୁ ସେପରି ନିର୍ଦ୍ଦିଷ୍ଟ ସ୍ୱୀକୃତି ଦେଇନଥିବାରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଦୁଇପକ୍ଷ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିବେ ବୋଲି ଜଣାପଡ଼ିଛି।

ଏଥିପାଇଁ ସେବା ଅଧିକାର ଦାବି କରୁଥିବା ଦୁଇଜଣ ବି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତକାଲିଠାରୁ ଚୁଲି ଲାଗିବା ପରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ୧୮୯୯ ମସିହାରୁ ରଥୀ ଦାଶ ମାଉସୀ ମା’ଙ୍କ ସେବା କରି ଆସୁଥିଲେ। ତାଙ୍କ ମୃତ୍ୟୁ ପରେ ପୁଅ ଲୋକନାଥ ଦାଶ ଏହି କାର୍ଯ୍ୟ ସଂପାଦନ କରି ଆସୁଥିଲେ। ଲୋକନାଥଙ୍କର ଗୋଟିଏ ପୁଅ ଓ ତିନି ଝିଅ ଥିଲେ। ଅବିବାହିତ ଅବସ୍ଥାରେ ପୁଅ ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇସାରିଛି। ତିନି ଝିଅଙ୍କ ଭିତରୁ ଜଣେ ମାତ୍ର ଝିଅ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଦୁଇ ପୁଅ ମନୋରଂଜନ ମିଶ୍ର ଓ ଜ୍ୟୋତିରଂଜନ ମିଶ୍ର ଥିଲେ। ଦୁଇ ପୁଅରୁ ଜ୍ୟୋତିରଂଜନଙ୍କ ମୃତ୍ୟୁ ପରେ ବଂଶରେ ଏକମାତ୍ର ପୁଅ ମନୋରଂଜନ ହିଁ ରହିଛନ୍ତି। ଏଣୁ ମନୋରଂଜନ ବଂଶାନୁକ୍ରମିକ ସେବା ପାଇଁ ହକ୍‌ଦାର ବୋଲି ଦାବି କରି ଆସୁଛନ୍ତି। ସେପଟେ ବିଶ୍ୱନାଥ ମିଶ୍ର ଏହି ସେବାର ଅଧିକାରୀ ବୋଲି ଦାବି କରିଛନ୍ତି। ସେ ମୂଳ ସେବାଧାରୀଙ୍କଠାରୁ ବଂଶାନୁକ୍ରମିକ ସେବାର ଅଧିକାର ପାଇଥିବା ଓ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ସେବା ସ୍ବୀକୃତି ଦେଇଥିବା ଦାବି କରୁଛନ୍ତି। ଏହି ବାଦବିବାଦ ପରେ ଏ ଉପରେ ସିଭିଲ୍ ଜଜ୍ ଜୁନିୟର ଡିଭିଜନଙ୍କ ନିକଟରେ ମନୋରଂଜନ ଏକ ମାମଲା (କେସ୍ ନଂ-୯୨/୨୦୧୮) ଦାୟର କରିଛନ୍ତି। ଏହି ମାମଲା ଏବେ ବିଚାରାଧୀନ ରହିଛି। ଯେଉଁଥିପାଇଁ ଉଭୟ ବିଶ୍ବନାଥ ଓ ମନୋରଂଜନ ପ୍ରତିବର୍ଷ ପୋଡ଼ପିଠା ସମର୍ପଣ କରି ଆସୁଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading