ପୁଣି ଡରାଇଲାଣି କରୋନା : ୧୨ ନମୁନାରେ ବିଏ୪ ଏବଂ ବିଏ୫ ପ୍ରଜାତି

Creat A Revolution
           

ନୂଆଦିଲ୍ଲୀ -:

କରୋନା ପୁଣିଥରେ ଡରାଇବା ଆରମ୍ଭ କରିଛି। ମହାରାଷ୍ଟ୍ରରେ କରୋନା ଚତୁର୍ଥ ଲହର ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ମୁମ୍ବାଇ ଏବେ କରୋନାର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି କୁହାଯାଉଛି। ଜୁନ୍‌ ପ୍ରଥମ ୪ ଦିନରେ ମହାରାଷ୍ଟ୍ରର ମୋଟ୍‌ ସଂକ୍ରମଣ ମାମଲା ୪,୬୧୮ ରହିଛି। ଏଥିରୁ ମୁମ୍ବାଇରେ ମୋଟ୍‌ ମାମଲା ୩,୦୯୫। ମୁମ୍ବାଇରେ ଜୁନ୍‌ ମାସର ପ୍ରଥମ ୪ ଦିନର ସଂକ୍ରମଣ ମାର୍ଚ୍ଚ ମାସର ମୋଟ୍‌ ସଂକ୍ରମଣ ମାମଲାର ଦ୍ବିଗୁଣା। ମାର୍ଚ୍ଚରେ ମୁମ୍ବାଇରେ ମୋଟ୍‌ ସଂକ୍ରମଣ ମାମଲା ୧୫୧୯ ଥିଲା। ଏପ୍ରିଲରେ ମୁମ୍ବାଇ ସଂକ୍ରମଣ ୧୭୯୫ ଥିବାବେଳେ ମେ’ରେ ମୋଟ୍‌ ସଂକ୍ରମଣ ୫,୮୩୮।

କିନ୍ତୁ ଜୁନ୍‌ର ପ୍ରଥମ ୪ ଦିନରେ ମୁମ୍ବାଇ ସଂକ୍ରମଣ ୩ ହଜାର ଟପିଯାଇଛି। ଏଥିପାଇଁ ମୁମ୍ବାଇକୁ ଏବେ କରୋନାର ନୂଆ କେନ୍ଦ୍ରସ୍ଥଳ କୁହାଯାଉଛି। ମହାରାଷ୍ଟ୍ରରେ ଚିହ୍ନଟ ହେଉଥିବା ‌ମୋଟ୍‌ ସଂକ୍ରମଣର ୬୦ ପ୍ରତିଶତ କେବଳ ମୁମ୍ବାଇରେ। ଶନିବାର ମହାରାଷ୍ଟ୍ରରେ ୧୩୫୭ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ୮୮୯ ମାମଲା ରହିଛି। ଅନ୍ୟପକ୍ଷେ ଦେଶରେ ଆଜି ୪,୨୭୦ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୭୬,୮୧୭। ୩୪ ଦିନ ପରେ ଦେଶରେ ଦୈନିକ ପଜିଟିଭ୍‌ ହାର ୧ ପ୍ରତିଶତ ଉପରେ ରହିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ କ‌ରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୬୯୨। ସକ୍ରିୟ ମାମଲା ୨୪,୦୫୨। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୬ ପ୍ରତିଶତ।

ଦେଶରେ ଆରୋଗ୍ୟ ହାର ୯୮.୭୩ ପ୍ରତିଶତ। ଦୈନିକ ପଜିଟିଭ୍‌ ହାର ୧.୦୩ଚ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୮୪ ପ୍ରତିଶତ। ଦେଶରେ ୫ ରାଜ୍ୟ ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଛି। ଉକ୍ତ ୫ ରାଜ୍ୟରେ ସଂକ୍ରମଣ ବଢ଼ିଥିବାରୁ କେନ୍ଦ୍ର ସରକାର ଉକ୍ତ ୫ ରାଜ୍ୟକୁ ଚିଠି ଲେଖି ସତର୍କତା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ କହିଥିଲେ। ତାମିଲନାଡ଼ୁରେ ୧୨ ନମୁନାରେ ବିଏ୪ ଏବଂ ବିଏ୫ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି।

ଦେବେନ୍ଦ୍ର ଫଡ଼ନାବିସଙ୍କୁ କରୋନା
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାବିସ କରୋନା ସଂକ୍ରମିତ ହୋଇଛନ୍ତି। ଫଡ଼ନାବିସ କରୋନା ସଂକ୍ରମିତ ‌ହୋଇଥିବା ସଂକ୍ରାନ୍ତରେ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଯେଉଁମା‌ନେ ଆସିଛନ୍ତି ସେମାନଙ୍କୁ କ‌ରୋନା ଟେଷ୍ଟ୍‌ କରିବାପାଇଁ ପରାମର୍ଶ ଦେଇଛନ୍ତି। ଫଡ଼ନାବିସ କହିଛନ୍ତି, ସେ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସାରେ ରହିଛନ୍ତି। ପୂର୍ବରୁ ୨୦୨୦ରେ ମଧ୍ୟ ଫଡ଼ନାବିସ କରୋନା ସଂକ୍ରମିତ ହୋଇଥିଲେ। ଇତି ମଧ୍ୟରେ ମୁମ୍ବାଇରେ ୮୮୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି।

ଶାହରୁଖ, କାଟ୍ରିନା କରୋନା ସଂକ୍ରମିତ
ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ କରୋନା ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର, କାର୍ତିକ ଆରୟନ ଏବଂ ଆଦିତ୍ୟ ରାୟ କପୁରଙ୍କ ପରେ ଶାହରୁଖ ଏବଂ କାଟ୍ରିନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। କାଟ୍ରିନା ଶ୍ରୀରାମ ରାଘବନଙ୍କ ‘ମେରି ଖ୍ରୀଷ୍ଟମାସ’ ସୁଟିଂ ପାଇଁ ଗତ ସପ୍ତାହରେ ସମୟ ଧାର୍ଯ୍ୟ କରିଥିଲେ। କିନ୍ତୁ କରୋନା ସଂକ୍ରମିତ ହେବାରୁ ସେ ସୁଟିଂ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। କାଟ୍ରିନା କରୋନା ସଂକ୍ରମିତ ହୋଇଥିବାରୁ ସ୍ବାମୀ ଭିକି କୌଶଳଙ୍କର ଆବୁ ଧାବିରେ ଏ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। କାଟ୍ରିନା ଏବେ ସୁସ୍ଥ ଥିବା ଜଣାପଡ଼ିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading