ଆମର ମନୋରଞ୍ଜନ ପାଇଁ ବିଜ୍ଞାନର ଅବଦାନ ଅନେକ ରହିଛି। ଏଥି ସହିତ ମୋବାଇଲ୍ ଫୋନ୍ ଆସିଲା ପରଠୁଁ ମନୋରଞ୍ଜନର ପରିସର ଆହୁରି ବ୍ୟାପକ ହୋଇଯାଇଛି। ବିଶେଷ କରି ବିଭିନ୍ନ ପ୍ରକାର ଭିଡିଓ ଗେମ୍ ହିଁ ତାହାକୁ ପରିପୁଷ୍ଟ କରିଛି। ଜଣେ କଳ୍ପନା କରିପାରୁନଥିବା ସ୍ବପ୍ନ ରାଇଜରେ ବିଚରଣଠାରୁ ଆରମ୍ଭ କରି ବିଭିନ୍ନ ଦୁଃସାହସିକ କୌଶଳରେ ଖୁନ୍ଦି ହୋଇ ରହିଥିବା ଏହି ସବୁ ଭିଡିଓ ଖେଳ ଆବାଳବୃଦ୍ଧବନିତା ନିର୍ବିଶେଷରେ ସମସ୍ତଙ୍କୁ ନିଶାଗ୍ରସ୍ତ କରିପକାଉଛି।
ତେବେ ଏହି ଖେଳଗୁଡ଼ିକ ଆଉ କେବଳ ଆମୋଦପ୍ରମୋଦରେ ସୀମିତ ହୋଇ ରହିନାହିଁ। ଜାପାନର ତୋହୋକୁ ବିଶ୍ବବିଦ୍ୟାଳୟର ଭେଷଜ ବିଭାଗ ବୈଜ୍ଞାନିକମାନେ ଟେଲିଭିଜନ୍ କମ୍ପାନି ସେଣ୍ଡାଇ ବ୍ରଡ୍କାଷ୍ଟିଂ କୋ. ଲି. ସହ ମିଶି ଏକ ପ୍ରକାର ସ୍ବତନ୍ତ୍ର ଭିଡିଓ ଖେଳର ବିକାଶ କରିଛନ୍ତି ଯାହା ଜଣକର ଦୃଷ୍ଟିଶକ୍ତିରେ ଉନ୍ନତି ଆଣିବ ବୋଲି ସେମାନେ ଦାବି କରିଛନ୍ତି। ଅନ୍ତରୀକ୍ଷ ଲଢ଼େଇ ଉପରେ ପର୍ଯ୍ୟବସିତ ‘ମିଟିଅର ବ୍ଲାଷ୍ଟର’ ନାମକ ଏହି ଭିଡିଓ ଖେଳ, ଅନ୍ଧାରକଣାର ପୂର୍ବାବସ୍ଥା ଭାବେ ଜଣାଶୁଣା ‘ଗ୍ଲୁକୋମା’ ପରି ଦୃଷ୍ଟି ଦୁର୍ବଳତାକୁ ଦୂର କରି ପାରିବ ବୋଲି କୁହାଯାଇଛି। ପ୍ରକୃତରେ ଏହା ଚକ୍ଷୁର ଜୈବ ଯବକାଚରେ କୌଣସି ପରିବର୍ତ୍ତନ ଆଣି ଦୃଷ୍ଟିଶକ୍ତି ଫେରାଉନାହିଁ, ବରଂ ମାତ୍ର ପାଞ୍ଚ ମିନିଟ୍ ଏହାକୁ ଖେଳିବା ଦ୍ବାରା ଗ୍ଲୁକୋମା ହେବାର ଲକ୍ଷଣଗୁଡ଼ିକ ଆଗୁଆ ଠଉରେଇ ହୋଇପାରୁଛି। ତେଣୁ ତଦନୁସାରେ ଚିକିତ୍ସା କରାଇ ଦୃଷ୍ଟିଶକ୍ତି ହରାଇବା ଅବସ୍ଥାକୁ ଟାଳି ଦିଆଯାଇପାରୁଛି। ସୁତରାଂ ପରୋକ୍ଷରେ ଏହା ଦୃଷ୍ଟିଶକ୍ତି ଜନିତ ଗୁରୁତର ସମସ୍ୟାକୁ ଦୂର କରିପାରୁଛି।
Discover more from odia.bnslive.in
Subscribe to get the latest posts sent to your email.
