ଜି.ଉଦୟଗିରି (କନ୍ଧମାଳ) -: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ, ଆଉ ଅଭାବର କଳା ବାଦଲକୁ ଚିରି ଉଦୟ ହୋଇଛି ସଫଳତାର ନୂଆ ସୂର୍ଯ୍ୟ । କାଠ-ମାଟିର ନୁଆଁଣିଆ ଘର, ଆଜବେଷ୍ଟସ୍ ଛପର ଆଉ ଓଳିଏ ଖାଇ ଓଳିଏ ଉପାସର ସଂଘର୍ଷ । ଏସବୁ କଷ୍ଟକୁ ପଛରେ ପକାଇ ଗୋଟିଏ ପରିବାରରୁ ୫ ଜଣ ଜିତିଛନ୍ତି NEET ଯୁଦ୍ଧ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିକବାଡ଼ି ଗ୍ରାମର ଏହି କାହାଣୀ ଏବେ ସାରା ଓଡ଼ିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ଅଭାବ ଯେଉଁଠି ନିତିଦିନିଆ ସାଥୀ, ପେଟର ଭୋକ ଯେଉଁଠି ସ୍ୱପ୍ନ ଦେଖିବାକୁ ବାରଣ କରେ… ସେହିଭଳି ଏକ ସ୍ଥିତିରୁ ଆରମ୍ଭ ହୋଇଥିଲା ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା । ଦାରିଙ୍ଗବାଡ଼ି ବ୍ଲକ୍ ତାଜୁଙ୍ଗିଆ ପଞ୍ଚାୟତର ସିକବାଡ଼ି ଗ୍ରାମ । ବୁର୍ଶୀ ପ୍ରଧାନଙ୍କ ମାଟି କୁଡ଼ିଆରୁ ଏବେ ସୃଷ୍ଟି ହୋଇଛି ଇତିହାସ ।
ଅଭାବ ଯେଉଁଠି ନିତିଦିନିଆ ସାଥୀ, ପେଟର ଭୋକ ଯେଉଁଠି ସ୍ୱପ୍ନ ଦେଖିବାକୁ ବାରଣ କରେ… ସେହିଭଳି ଏକ ସ୍ଥିତିରୁ ଆରମ୍ଭ ହୋଇଥିଲା ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା । ଦାରିଙ୍ଗବାଡ଼ି ବ୍ଲକ୍ ତାଜୁଙ୍ଗିଆ ପଞ୍ଚାୟତର ସିକବାଡ଼ି ଗ୍ରାମ । ବୁର୍ଶୀ ପ୍ରଧାନଙ୍କ ମାଟି କୁଡ଼ିଆରୁ ଏବେ ସୃଷ୍ଟି ହୋଇଛି ଇତିହାସ । ଆଜି ଗୋଟିଏ କୁଡ଼ିଆ ଘରୁ ପାଞ୍ଚ ପାଞ୍ଚ ଜଣ ଭାଇଭଉଣୀ ଡାକ୍ତରୀ ପାଠ ପଢ଼ିବା ପାଇଁ NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସଂଘର୍ଷର ପ୍ରଥମ ସୋପାନ ଚଢ଼ିଥିଲେ ବଡ଼ ପୁଅ ବିଭୀଷଣ ପ୍ରଧାନ। NEET ସଫଳତା ପରେ ସେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ MBBS ପଢ଼ି ଏବେ ଇଣ୍ଟର୍ନସିପ୍ କରୁଛନ୍ତି ।
ବଡ଼ ଭାଇଙ୍କ ବାଟକୁ ପାଥେୟ କରି ସାନ ଭଉଣୀ ମୋନାଲିସା ମଧ୍ୟ ସେହି କୋରାପୁଟ ମେଡିକାଲରେ MBBS ଦ୍ୱିତୀୟ ବର୍ଷର ଛାତ୍ରୀ । ସଫଳତାର ଏହି ଧାରା ଏତିକିରେ ଅଟକି ନଥିଲା। ଚଳିତ ବର୍ଷ ପରିବାରର ଆଉ ୩ ଜଣ- ସୁନେମି, ଏସରୀୟ ଓ ଝିଆରୀ ମିନାକ୍ଷୀ NEET ଉତ୍ତୀର୍ଣ୍ଣ ହୋଇ ବଲାଙ୍ଗିର ଭୀମ ଭୋଇ ଏବଂ କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ମିନାକ୍ଷୀ ଏବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଛାତ୍ରୀ । ତେବେ ଏହି ଆକାଶଛୁଆଁ ସ୍ୱପ୍ନ ପଛରେ ରହିଛି ଜମି, ଗାଈ ଆଉ ଛେଳି ବିକ୍ରିର ଦୁଃଖଦ ସତ । ମକା ଓ ହଳଦୀ ଚାଷରୁ ମିଳୁଥିବା ସୀମିତ ଆୟରେ ପାଠପଢ଼ା ସମ୍ଭବ ନ ହେବାରୁ, ବାପା ବୁର୍ଶୀ ପ୍ରଧାନ ନିଜ ସମ୍ବଳ ବିକି ଦେଇଛନ୍ତି ।
ପାଠ ପଢ଼ିବା ସହ ଘରର ଅଭାବ ବୁଝି ଏହି ପିଲାମାନେ ଗୋରୁଗାଈ ଚରାଇବାକୁ ମଧ୍ୟ ପଛାନ୍ତି ନାହିଁ । ଗରିବ ଲୋକଙ୍କ ସେବା କରିବା ଏମାନଙ୍କର ଏକମାତ୍ର ଲକ୍ ଷ୍ୟ। ହେଲେ ଆଗକୁ ଡାକ୍ତରୀ ପାଠର ଖର୍ଚ୍ଚ କିପରି ତୁଲାଇବେ, ସେ ନେଇ ପରିବାର ଏବେ ଚିନ୍ତାରେ । ଦୃଢ଼ ଇଚ୍ଛାଶକ୍ତି ଆଗରେ ବାଧକ ସାଜିପାରିନି ଗରିବୀ । ସିକବାଡ଼ି ଗ୍ରାମର ଏହି ୫ ଭାଇଭଉଣୀ ପ୍ରମାଣିତ କରିଛନ୍ତି ଯେ ସ୍ୱପ୍ନ ଯଦି ଶକ୍ତ ହୋଇଥାଏ, ତେବେ କୁଡ଼ିଆ ଘରୁ ବି ଡାକ୍ତର ତିଆରି ହୋଇପାରନ୍ତି । ପିଠିରେ ସଂଘର୍ଷର ବୋଝ ଆଉ ଆଖିରେ ସେବାର ସ୍ୱପ୍ନ। ସିକବାଡ଼ି ଗ୍ରାମର ଏହି ୫ ଭାଇଭଉଣୀ ଆଜି ସମଗ୍ର ରାଜ୍ୟ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।
Discover more from odia.bnslive.in
Subscribe to get the latest posts sent to your email.
