ଟିମ୍ ଇଣ୍ଡିଆରେ ଏବେ ନବାଗତଙ୍କ ସଂଖ୍ୟା ବେଶ୍ ଅଧିକ ହୋଇଗଲାଣି । ରୋହିତ ଶର୍ମା, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନ, ଚେତେଶ୍ବର ପୁଜାରା ଯିବା ପରେ ଏବେ ୟଙ୍ଗ ଖେଳାଳିଙ୍କୁ ମିଳୁଛି ସୁଯୋଗ । ତେବେ ଭାରତୀୟ ଦଳରେ ଏବେ ନବାଗତ ଖେଳାଳିଙ୍କ ସଂଖ୍ୟା ଢେର୍ ଅଧିକ । ଧ୍ରୁବ ଜୁରେଲଙ୍କ ଠାରୁ ଆରମ୍ଭ କରି ସାଇ ସୁଦର୍ଶନ, ଆକାଶ ଦୀପ, ନୀତିଶ ରେଡ୍ଡୀ, ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଷ୍ଟାର ଉଭା ହୋଇଛନ୍ତି । ଅନ୍ୟପଟେ ଯଦି ନଜର ପକାଇବେ ଟିମ୍ର ଏମିତି କିଛି କ୍ରିକେଟର ଯେଉଁମାନେ କି ଦୀର୍ଘ ଦିନ ହେଲା ସଂଘର୍ଷ କରୁଛନ୍ତି ଦଳକୁ ଫେରିବା ପାଇଁ । ବିଶେଷଜ୍ଞଙ୍କ ମତରେ ଭାରତୀୟ ଦଳର ୧୦ ଜଣ ଏମିତି କ୍ରିକେଟର ଯେଉଁମାନଙ୍କ ପାଇଁ ଦଳକୁ ଫେରିବା ରାସ୍ତା ବନ୍ଦ ହୋଇଯାଇଛି ବୋଲି କୁହାଯାଉଛି ।

ମନୀଷ ପାଣ୍ଡେ: ୩୫ ବର୍ଷୀୟ ମନୀଷ ଶେଷ ଥର ପାଇଁ ୨୦୨୧ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଭାରତ ପାଇଁ ୨୯ ଦିନିକିଆ ଓ ୩୯ଟି ଟି-୨୦ ମ୍ୟାଚ୍ ଖେଳିଥିବା ମନୀଷ ପାଣ୍ଡେ ଆଉ ଦଳକୁ ଫେରିବାର ସମ୍ଭାବନା ନାହିଁ କହିଲେ ଚଳେ ।

ଦୀପକ ହୁଡ୍ଡା: ବିସ୍ଫୋରକ ବ୍ୟାଟର ଦୀପକ ହୁଡ୍ଡା ଶେଷ ଥର ପାଇଁ ୨୦୨୩ରେ ମ୍ୟାଚ୍ ଖେଳିଥିଲେ । ଲଗାତାର ଖରାପ ଫର୍ମ କାରଣରୁ ସେ ବାଦ୍ ପଡିଛନ୍ତି । ଆଉ ଦଳକୁ ଫେରିବା ତାଙ୍କ ପାଇଁ ମୁସ୍କିଲ ।

ହର୍ଷଲ ପଟେଲ: ଦମଦାର ବୋଲିଂ ଦମ୍ରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ହର୍ଷଲ ୨୫ଯି ଟି୨୦ ମ୍ୟାଚ୍ ଖେଳିଛନ୍ତି । ଶେଷ ଥର ପାଇଁ ୨୦୨୩ରେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ । ୩୪ ବର୍ଷୀୟ ହର୍ଷଲଙ୍କ ପାଇଁ ଦଳକୁ ଫେରିବା କାଠିକର ପାଠ ।

ଅମିତ ମିଶ୍ରା: ୮ ବର୍ଷ ହେଲା ଦଳରେ ସୁଯୋଗ ପାଇନାହାନ୍ତି ଅମିତ ମିଶ୍ରା । ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ସେ ୨୦୧୭ରେ ନଜର ଆସିଥିଲେ । ସେ ୨୨ଟି ଟେଷ୍ଟ, ୩୬ ଦିନିକିଆ ଓ ୧୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ କ୍ୟାରିୟର ଶେଷ ହୋଇଯାଇଛି କହିଲେ ଚଳେ ।

ଜୟଦେବ ଉନାଦକତ: ୨୦୧୦ରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ଜୟଦେବ । ୨୦୨୩ରେ ସେ ଶେଷ ଥର ପାଇଁ ଭାରତୀୟ ଜର୍ସିରେ ନଜର ଆସିଥିଲେ । ଆଉ ସେ ଫେରିବାର ସମ୍ଭାବନା ନାହିଁ ।

ବିଜୟ ଶଙ୍କର: ୨୦୧୮ରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ବିଜୟ ଶଙ୍କର ୨୦୧୯ ବିଶ୍ବକପରେ ଭାରତୀୟ ଦଳର ସଦସ୍ୟ ଥିଲେ । ଏହା ପରେ ଆଉ ସେ ଦଳକୁ ଫେରିନାହାନ୍ତି । କି ଫେରିବାର ସମ୍ଭାବନା ମଧ୍ୟ ନାହିଁ କହିଲେ ଚଳେ ।

ହନୁମା ବିହାରୀ: ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ ଖରାପ ଫର୍ମ କାରଣରୁ ଦଳରୁ ବାଦ୍ ପଡିଥିଲେ । ୨୦୨୨ରୁ ଆଉ ତାଙ୍କୁ ଦଳରେ ସାମିଲ କରାଯାଉ ନାହିଁ । ସେ ମୋଟ ୧୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।

ଯୁଜବେନ୍ଦ୍ର ଚହଲ: ଗୋଟିଏ ସମୟରେ ବିଶ୍ବର ନମ୍ବର ୧ ଟି୨୦ ବୋଲର ଆଖ୍ୟା ପାଇଥିବା ଯୁଜବେନ୍ଦ୍ର ଚହଲ ଖରାପ ଫର୍ମ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ୨ ବର୍ଷ ପୂର୍ବରୁ ଶେଷ ଥର ଭାରତୀୟ ଜର୍ସିରେ ନଜର ଆସିଥିଲେ ଚହଲ । ତେଣୁ ଟେଷ୍ଟ ଫର୍ମାଟରେ ଆଉ ସେ ଫେରିବାର ସମ୍ଭାବନା କମ୍ ।
Discover more from odia.bnslive.in
Subscribe to get the latest posts sent to your email.
