ନୂଆଦିଲ୍ଲୀ -: ଜୁଲାଇ ୧ ତାରିଖରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କର ଏକ ‘ଡକ୍ଟର୍ଡ୍ ଭିଡିଓ କ୍ଲିପ୍’ ପ୍ରସାରଣ କରିବା ଦୋଷରେ ‘ଜି ନିଉଜ୍’ ତା’ର ବୁଲେଟିନ୍ ପ୍ରଡ୍ୟୁସର୍ ଏବଂ ଟ୍ରେନି ବୁଲେଟିନ୍ ପ୍ରଡ୍ୟୁସର୍ଙ୍କୁ ଚାକିରିରୁ ବହିଷ୍କାର କରିଛି। ସେ ଦୁଇଜଣ ଜାଣିଶୁଣି ଏଭଳି ଦୁଷ୍ଟାମି କରିଥାଇ ପାରନ୍ତି ବୋଲି କୁହାଯାଉଛି। ‘ଜି ମିଡିଆ’ର ଅଭିଯୋଗକୁ ଆଧାର କରି ନଇଡ଼ା ପୁଲିସ ପଞ୍ଜିକୃତ କରିଥିବା ‘ଏଫ୍ଆଇଆର୍’ରେ ଉଲ୍ଲେଖ ଅଛି ଯେ, ବରିଷ୍ଠ ପ୍ରଡ୍ୟୁସର୍ ନରିନ୍ଦର୍ ସିଂହ ଏବଂ ଟ୍ରେନି ପ୍ରଡ୍ୟୁସର୍ ବିକାଶ କୁମାର ଝା’ ରାହୁଲ୍ ଗାନ୍ଧୀଙ୍କ ବିବୃତି ଥିବା ଭିଡିଓ ପାଇଥିଲେ।
ସେଥିରେ ୱେୟାନାଡ଼ାସ୍ଥିତ ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ କେରଳର ‘ଏସ୍ଏଫଆଇ’ କର୍ମୀମାନେ ଆକ୍ରମଣ କରିଥିବା ଘଟଣା ଉପରେ ରାହୁଲ୍ ଗାନ୍ଧୀଙ୍କ ବିବୃତି ଥିଲା।ସୋ’ରେ ପ୍ରସାରଣ ବେଳେ ରାହୁଲ୍ଙ୍କ ବିବୃତିକୁ ଏଭଳି ପରିବେଶଣ କରାଯାଇଥିଲା ସତେ ଅବା ସେ ଉଦୟପୁର ହତ୍ୟାକାଣ୍ଡ ଘଟଣାକୁ ଉଦ୍ଦେଶ୍ୟ କରି ବିବୃତି ଦେଉଛନ୍ତି। ‘ଜି’ର ଅଭ୍ୟନ୍ତରୀଣ ତଦନ୍ତ ନରିନ୍ଦର୍ ସିଂହ ଏବଂ ବିକାଶ କୁମାର ଝା’ଙ୍କ ଏଥିପାଇଁ ଦାୟୀ କରିବା ସହ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଛି ବୋଲି ଉକ୍ତ ଅଭିଯୋଗରେ ଉଲ୍ଲେଖ ଅଛି। ଉଦ୍ଦେଶ୍ୟମୂଳକ ଭାବେ ରାହୁଲ୍ଙ୍କ ବିବୃତିକୁ ଉକ୍ତ ଭିଡିଓରେ ଗୋଳମାଳିଆ ଭାବେ ପରିବେଶଣ କରାଯାଇଛି ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।
କିନ୍ତୁ, ନଇଡ଼ା ପୁଲିସ ସେ ଦୁଇଜଣଙ୍କୁ ଏପର୍ଯ୍ୟନ୍ତ ଜେରା କରିନାହିଁ। କିନ୍ତୁ, ଆଙ୍କର୍ ରୋହିତରଞ୍ଜନଙ୍କ ନାମ ପ୍ରଥମେ ଉକ୍ତ ‘ଏଫ୍ଆଇଆର୍’ରେ ନ ଥିଲା। ପରେ ତାଙ୍କ ନାମ ସଂଯୋଗ କରାଯାଇ ରାତି ୮.୩୩ରେ ‘ଏଫ୍ଆଇଆର୍’ ରୁଜୁ କରାଯାଇଥିଲା ବେଳେ ରାତି ପ୍ରାୟ ୯ଟା ବେଳେ ତାଙ୍କୁ ତାଙ୍କର ଗାଜିଆବାଦ ବାସଭବନରୁ ପୁଲିସ ଧରି ନେଇଥିଲା।କିନ୍ତୁ, ପରେ ରୋହିତରଞ୍ଜନଙ୍କୁ ଜାମିନ୍ରେ ଛାଡ଼ି ଦିଆଯାଇଥିଲା। କିନ୍ତୁ, ତାଙ୍କ ବିରୋଧରେ ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ଥିବାରୁ ସେ ସୁରକ୍ଷା ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ରୋହିତରଞ୍ଜନଙ୍କ ଓକିଲ ସିଦ୍ଧାର୍ଥ ଲୁଥ୍ରା ନିବେଦନ କରିଥିବାଳେ ଆଜି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ୍ କୋର୍ଟଙ୍କର ଏକ ସ୍ବତନ୍ତ୍ର ଖଣ୍ଡପୀଠ କହିଥିଲେ।
Discover more from odia.bnslive.in
Subscribe to get the latest posts sent to your email.