କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବାଟ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ବିଧାୟକ ଓ ମଣ୍ଡଳ ସଭାପତି । ତତ ସହିତ ରାସ୍ତାର ଦୁରାବସ୍ତା ଦେଖି ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ରାସ୍ତା କାମ ସାରିବାକୁ ଦାବୀ ମଧ୍ୟ କରିଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଂଚାୟତ ଅନ୍ତର୍ଗତ କଟାପଙ୍ଗା ଠାରୁ ଡମାଙ୍ଗପଦର ଗ୍ରାମ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା ବର୍ଷାଦିନ ମାନଙ୍କରେ କାଦୁଅରେ ଭରି ଯାଉଛି ।ଏହି ରାସ୍ତାଟି ପ୍ରଥମେ ଏକ ପାଦଚଲା ରାସ୍ତା ଭାବେ ବ୍ୟବହୃତ ହେଉଥିଲା ।ସୁମରବନ୍ଧ ପଂଚାୟତର ୧୧ ଗୋଟି ୱାର୍ଡ ର ୪୦୦୦ ରୁ ଉର୍ଦ୍ଧ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ । ବିଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ୪ କୋଟିରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହେବା ପରେ ଆର.ଡି ବିଭାଗ ରାସ୍ତା ତଦାରଖ କାର୍ଯ୍ୟ ନିଜେ ମୁଣ୍ଡେଇଥିଲା । ସୁମରବନ୍ଧ ପଂଚାୟତ ଫିରିଙ୍ଗିଆ ବ୍ଲକର ଶେଷ ମୁଣ୍ଡରେ ଥିବା ପଂଚାୟତ ହୋଇଥିବା ବେଳେ ଅଞ୍ଚଳଟି ଏକ ଦୁର୍ଗମ ଅଂଚଳ ତଥା ଉପାନ୍ତ ଅଂଚଳ ହୋଇଥିବାରୁ ରାସ୍ତା ନିର୍ମାଣ ହେଉଥିବା ଜାଣି ଅଞ୍ଚଳବାସୀ ବେସ ଆନନ୍ଦିତ ହୋଇଥିଲେ । ହେଲେ ବର୍ଷ ବର୍ଷ ବିତିଯାଉଥିଲେ ସୁଦ୍ଧା ରାସ୍ତା କାମ ଆଗକୁ ଆଗେଇ ପାରୁନଥିବାରୁ ରାସ୍ତାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
କାର୍ଯ୍ୟ କରୁଥିବା ଠିକାଦାର ୬ କିଲୋମିଟର ଯାଏ କେବଳ ମାଟି ପକେଇ ଦେଇ ଚୁପ ବସିଛି । ବର୍ଷାଦିନ ଆସିଲେ ଏହି ରାସ୍ତା ଉପରେ ଚଳପ୍ରଚଳ କରିବା ସେମାନଙ୍କ ପାଇଁ ବଡ଼ କଷ୍ଟ କାର୍ଯ୍ୟ ହୋଇ ପଡିଛି ।ରାସ୍ତା ଉପରେ ଗାଡି ମଟର ଚାଲିବା ତ ଦୂରର କଥା ସାଧାରଣଲୋକ ମଧ୍ୟ ଚାଲିବା କାଠିକର ପାଠ ହୋଇପଡିଛି । ଅନେକ ସମୟରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ପ୍ରସୂତି ମହିଳା ମାନଙ୍କୁ ଖଟିଆ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଯାଇକି ଡାକ୍ତର ଖାନା ନେବା ସମ୍ଭବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀ ପ୍ରଶାସନକୁ ଯେତେ ଗୁହାରୀ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ବୁଝିବାକୁ କେହି ହେଲେ ଆଗେଇ ଆସୁନାହାନ୍ତି । ଆଜି ମୁରଡ଼ି ଗ୍ରାମର ଝିମି ମଳିକ (୨୬)ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନା ପାଇବାରୁ ସ୍ଥାନୀୟ ନୁଆ ପଦର ମଣ୍ଡଳ ସଭାପତି ଦେବେଶ୍ୱର ଦ୍ଵୀପଙ୍କୁ ସୂଚନା ଦେଇଥିଲେ |
ମହିଳାଙ୍କ ସ୍ୱାମୀ ରାମଚନ୍ଦ୍ର କହଁର କୌଣସି ଏକ ଭୁଲ କରି କାରାଗାରରେ ବନ୍ଦୀ ରହିଥିବା ବେଳେ ମହିଳାଙ୍କ ସାହାଯ୍ୟ ପାଇଁ ପରିବାରରେ ଆଉ କୌଣସି ସଦସ୍ୟ ନାହାନ୍ତି ।ଏପରି ସ୍ଥିତିରେ ତାକୁ କିଏ ସାହାଯ୍ୟ କରିବ? ଏ ଖବରଟି ଦେବେଶ୍ଵର ଦ୍ଵୀପଙ୍କ କର୍ଣ୍ଣ ରେ ବାଜିବା କ୍ଷଣି ସେ ଘଟଣା ସ୍ଥଳରେ ଆସି ପହଂଚିଥିଲେ । ପରେ ବିଧାୟକ ପ୍ରତିନିଧି ପ୍ରସାନ୍ତ କମ୍ପ , ସୁମରବନ୍ଧ ସରପଞ୍ଚ ସୁଶୀଳା କହଁର, ଆଶା ଦିଦି ରଜନୀ କହଁର, ସମାଜସେବୀ ବିଗ କହଁର ପ୍ରମୁଖ ଝିମିଙ୍କ ଘରେ ପହଂଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ଖଟିଆ ଭାର କରି ତହିଁରେ ଝିମିଙ୍କୁ ଶୁଏଇ କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ।ସମସ୍ତେ ଜନ ପ୍ରତିନିଧି ରାସ୍ତାର ଏଭଳି ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହିତ ଯଥାଶୀଘ୍ର ରାସ୍ତା ମରାମତି ପାଇଁ ଦାବୀ ମଧ୍ୟ କରିଛନ୍ତି । ଜନ ପ୍ରତିନିଧି ମାନଙ୍କ ଏଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ବେସ ପ୍ରଶଂସା କରିବା ସହିତ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଅନୁରୋଧ କରିଛନ୍ତି |
