ଭୁବନେଶ୍ଵର -: ବାଡ଼ ଖାଉଥିଲା ଫସଲ । ସୁରକ୍ଷା ଦାୟିତ୍ଵରେ ରହି କରୁଥିଲେ ଲୁଟ୍ । ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି ଏକ ମାମଲାରେ ଓଡ଼ିଶା ଆର୍ଥିକ ଅପରାଧ ଶାଖା (EOW) ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଆଜି ବାଲେଶ୍ୱରସ୍ଥିତ OPID ଆଇନ ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଅଦାଲତରେ ହାଜର କରାଯାଇଛି । ଅଭିଯୋଗ ଅନୁଯାୟୀ, ଜୁନ୍ ୨୦୨୩ରୁ ଜୁନ୍ ୨୦୨୪ ମଧ୍ୟରେ ସତ୍ୟବ୍ରତ ଭୋଇ ଯୋଡ଼ାସ୍ଥିତ ୟୁନିୟନ୍ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ଥିଲେ । ଯାହାକୁ ନେଇ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବାଲେଶ୍ୱର ରିଜିଓନାଲ୍ ଅଫିସର ରିଜିଓନାଲ୍ ହେଡ୍ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ କରିଥିଲେ । ସତ୍ୟବ୍ରତ ଭୋଇ ୧୨.୦୯.୨୦୨୨ରୁ ଯୋଡ଼ା ଶାଖାର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିଲେ ।
ଶାଖାର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ପରିଚାଳନା ସହ ପଣବନ୍ଧକ ରଖାଯାଇଥିବା ସୁନା ଅଳଙ୍କାରର ମୂଲ୍ୟାଙ୍କନ ଓ ଯାଞ୍ଚ, ଋଣଗ୍ରହୀତାଙ୍କ ଯୋଗ୍ୟତା ଓ KYC ଯାଞ୍ଚ, ଆବଶ୍ୟକ ଦସ୍ତାବିଜ ଯାଞ୍ଚ, ସୁନା ଋଣ ମଞ୍ଜୁର ଓ ବିତରଣ, ଋଣ ଦସ୍ତାବିଜର ସୁରକ୍ଷିତ ସଂରକ୍ଷଣ ଏବଂ ପଣବନ୍ଧକ ସୁନାର ଯୁଗ୍ମ ହେପାଜତ ଭଳି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ତଦନ୍ତ ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ଶାଖା ପରିଚାଳକ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟାକୁ ଉଲ୍ଲଂଘନ କରି ନକଲି ସୁନା ଅଳଙ୍କାର ରଖି ୧୦୦ଟି ସୁନା ଋଣ ମଞ୍ଜୁର କରିଥିଲେ ।
ଋଣ ଫାଇଲ୍ଗୁଡ଼ିକରେ ଆବଶ୍ୟକ ଦସ୍ତାବିଜ, KYC ଏବଂ ପ୍ରକୃତ ଋଣଗ୍ରହୀତାଙ୍କ ଦସ୍ତଖତ ନଥିବା ତଦନ୍ତରୁ ଜଣାପଡ଼ିଛି । ଏଥିସହ Gold Pouch In-Out Register ମଧ୍ୟ ରକ୍ଷଣାବେକ୍ଷଣ କରାଯାଇନଥିଲା । ଯାହା ଜାଲିଆତିପୂର୍ବକ ଋଣ ବିତରଣକୁ ଜାଣିଶୁଣି ସହଯୋଗ କରାଯାଇଥିବାର ସୂଚନା ଦେଉଛି । ମୋଟ ୧୦୦ଟି ସୁନା ଋଣ ଖାତା ମଧ୍ୟରୁ ୨୩ଟି ଖାତା ବନ୍ଦ ହୋଇଥିବା ବେଳେ ୭୬ଟି ଖାତାର ଋଣ ଏବେବି ବକେୟା ରହିଛି । ୨୦୨୬ ଅଗଷ୍ଟ ୧୮ ସୁଦ୍ଧା ଏହି ୭୬ଟି ସକ୍ରିୟ ଖାତାର ମୋଟ ବକେୟା ରାଶି ୧୯୭,୫୦,୬୩୬.୭୧ ଟଙ୍କା ରହିଛି ।
ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଶାଖା ପରିଚାଳକ ଜାଣିଶୁଣି ମଞ୍ଜୁର ହୋଇଥିବା ଋଣ ରାଶିକୁ ସମ୍ପୃକ୍ତ ଋଣଗ୍ରହୀତାଙ୍କ ଖାତାରେ ଜମା କରାଇଥିଲେ । ପରବର୍ତ୍ତୀ ସମୟରେ ଋଣଗ୍ରହୀତାଙ୍କ ଅଜାଣତରେ ଓ ବିନା ସମ୍ମତିରେ ସେହି ଅର୍ଥକୁ ଅନ୍ୟ ଖାତାକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ଏହି ଅର୍ଥ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପର୍କିତ ଖାତାଗୁଡ଼ିକୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।
Discover more from odia.bnslive.in
Subscribe to get the latest posts sent to your email.
