ବାଲିଆପାଳି ( ଜ୍ୟୋତିରାଦିତ୍ୟ ମହାନ୍ତି )-: ଏକ ସପ୍ତାହ ହେଲା ନିଖୋଜ ଭାଇ। ଭାଇକୁ ଖୋଜି ଖୋଜି ଆଖିରୁ ଶୁଖୁନି ଲୁହ। ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇପଡ଼ିଛି ପରିବାର। କେଉଁଠି ଅଛି ତାଙ୍କ ଭାଇ, କେମିତି ଅଛି—ଏହି ଚିନ୍ତାରେ ଦିନରାତି କାଟୁଛନ୍ତି ପରିବାର ଲୋକେ। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଥାନା ଅଞ୍ଚଳର ଉଲୁଡା ଗ୍ରାମରୁ ହରିଶ ମାଝୀ ନାମକ ଜଣେ ଯୁବକ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ଉଲୁଡା ଗ୍ରାମର ରମେଶ ମାଝୀଙ୍କ ପୁଅ ହରିଶ ମାଝୀ ପ୍ରାୟ ଗୋଟିଏ ସପ୍ତାହ ହେବ କୌଣସି ସୂଚନା ନଦେଇ କୁଆଡ଼େ ଚାଲିଯାଇଛନ୍ତି। ହରିଶ ନିଖୋଜ ହେବା ପରଠାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଛନ୍ତି। ଆଖପାଖ ଅଞ୍ଚଳଠାରୁ ଆରମ୍ଭ କରି ସମ୍ଭାବ୍ୟ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହରିଶଙ୍କ କୌଣସି ସନ୍ଧାନ ମିଳିନାହିଁ। ଦିନ ଗଡ଼ିବା ସହିତ ପରିବାରର ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷ କରି ଭଉଣୀ ନିଜ ଭାଇକୁ ଖୋଜି ନପାଇ ଭାଙ୍ଗିପଡ଼ିଛନ୍ତି। ଭାଇ କେଉଁଠି ଅଛନ୍ତି, ସୁରକ୍ଷିତ ଅଛନ୍ତି କି ନାହିଁ—ଏହି ଚିନ୍ତା ଏବେ ପରିବାରକୁ ଘାରିଛି।ଭାଇକୁ ଫେରାଇ ଆଣିବା ପାଇଁ ଭଉଣୀଙ୍କ ଆକୁଳ ନିବେଦନ—“ଏ ଭଗବାନ, ମୋ ଭାଇ ଯେଉଁଠି ଥାଉ, ତାକୁ ସୁରକ୍ଷିତ ରଖ। ଯଦି କେହି ମୋ ଭାଇଙ୍କୁ କେଉଁଠି ଦେଖିଥାନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଥାନ୍ତି, ଦୟାକରି ଆମକୁ ଜଣାନ୍ତୁ।”
ହରିଶ ମାଝୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ୭୩୨୫୮ ୬୯୦୨୯ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି। ଗୋଟିଏ ଫୋନ୍ କଲ୍ ହୁଏତ ଏହି ଅପେକ୍ଷାରେ ଥିବା ପରିବାରକୁ ତାଙ୍କ ପ୍ରିୟଜନଙ୍କ ସହ ପୁଣିଥରେ ମିଶାଇପାରେ। ତେଣୁ ହରିଶ ମାଝୀଙ୍କ ସନ୍ଧାନରେ ସମସ୍ତଙ୍କ ସହଯୋଗ କାମନା କରିଛି ପରିବାର।
Discover more from odia.bnslive.in
Subscribe to get the latest posts sent to your email.
